Sunday 23 July 2017

ଈଶ୍ଵରଙ୍କ ପ୍ରତି . . .


କିଏ ତୁମେ କୁହ                କେଉଁଠାରେ ରୁହ

ଡାକେ ଯାହାକୁ ଈଶ୍ଵର ?

କେତେ ତୁମ ନାମ             କାହିଁକି ବା ଏତେ

ମିଳେନା କେବେ ଉତ୍ତର ।

ଖୋଜିଛି ତୁମକୁ                ପଥର ପୟରେ

ଛବିଳ କାଗଜ କୋଳେ

ଦେଖି ନାହିଁ ଶୁଣି-              ନାହିଁ କିନ୍ତୁ କେବେ

ପୂଜାର ମାୟାଜାଲେ

ପାଇଛି ଯେବେ ବି             ଖୋଜିଛି ତୁମକୁ

ଜୀବନକୁ ଦଗ୍ଧ କରି

ନୀରବରେ ମୋତେ           ନିଜର କରିଛ

ଅନ୍ତରର ଶକ୍ତି ପରି

କୁହୁଡ଼ିରେ ଜାଳି                ଦୀପ ଶିଖାଟିଏ

ବାଟ ଦେଖାଇଛ ସେବେ,

ସୁଖ ଲୋଭେ ପଡ଼ି             ମାୟା ଭଉଁରୀରେ

ଦମ୍ଭ ହାରିଛି ଯେବେ

ଚିର ଶୂନ୍ୟର           ସୌଦାଗର ତୁମେ,

ଚିର ପୂର୍ଣ୍ଣତାର ଆଶା

ଚିର ଶାନ୍ତିର           ଏକାକୀ ବଣିକ,

ଚିର ଆନନ୍ଦର ଭାଷା

ମହାପୁରୁଷ ସେ               ନୁହଁ ଜମା ତୁମେ,

ଦୁର୍ଲଭ ଯାହାର ପ୍ରାପ୍ତି

ଆତ୍ମ ହୃଦୟର         ଆତ୍ମଶକ୍ତି ତୁମେ;

ତୁମେ ହିଁ ଆତ୍ମାର ତୃପ୍ତି

ସମୟର ତୁମେ                ନୀରବ ଉତ୍ତର

ନିଶ୍ଚିହ୍ନ ମଧ୍ୟେ ସ୍ଥିତ

ତୁମରି ଆଭାସ        ଶୀତଳ ବୃଷ୍ଟିରେ,

ତୁମେ ହିଁ ପକ୍ଷୀର ଗୀତ

ଖୋଜୁଥିଲି ଯାକୁ              ବାହ୍ୟ ପ୍ରଦେଶରେ

ପଡ଼ି ଉଠି ବାରମ୍ବାର,

ଦେଖିଲି ଆଜି ମୁଁ               ନିଜ ମଧ୍ୟେ ତୁମ

ସତ୍ତାରେ ପୂର୍ଣ୍ଣ ଅନ୍ତର

ଶକ୍ତି ନିରୁଦ୍ଦିଷ୍ଟ          ମନର ମୋ ତୁମେ

ମୋ କ୍ଳାନ୍ତ ପାଦର ପଥ

ତୁମେ ହିଁ ମୋ ସତ୍ତା            କିଛି ନୁହେଁ ଆଉ

ସାରଥି ତୁମେ ମୁଁ ରଥ

ଚିର ଜାଗ୍ରତ           ହୋଇ ରୁହ ପ୍ରଭୁ

ଚିର ବନ୍ଧୁ ପରି ମନେ

ଚିର ଶାନ୍ତି ହୋଇ              ବିଲୀନ କରିବ

ଚିର ଶୂନ୍ୟରେ ଦିନେ

No comments:

Post a Comment