Sunday 30 July 2017

ପରିବର୍ତ୍ତନ ଆଡ଼କୁ ପାଦେ


ହଜିଯାଉ ଧୀରେ ଧୀରେ କୁହୁଡ଼ିର ସ୍ପର୍ଶ,
ଖେଳିଯାଉ ଆକାଶରେ ଉଜ୍ଜ୍ଵଳ ନୀଳିମା ।
ଜଳିଉଠୁ ଅନ୍ଧାରରେ ଚନ୍ଦ୍ରର ଆଲୋକ,
ଲିଭିଯାଉ ରଜନୀର କଳଙ୍କ କାଳିମା ।

ରାତି ରାତି ନିଦ୍ରା ତେଜି ଦେଖିଥିଲି ଯାହା,
ଅନ୍ତହୀନ ସ୍ଵପ୍ନ ସେ ଯେ ହେଉ ଆଜି ସତ ।
ସୁଗନ୍ଧର ଗାଥା ଗାଇ ଫୁଟି ଉଠୁ ପୁଣି
ଝରିପଡ଼ିଥିଲା ବନେ ଯେଉଁ ପାରିଜାତ ।

ସୁରୂଜ ବି ବଞ୍ଚିରହୁ ଆକାଶରେ ତା 'ର,
ସୁକୁମାର ଖଦ୍ୟୋତ ବି ଲଭୁ ପରିଚୟ ।
ହେଉ ନ୍ୟାୟ ପୁଣି ଥରେ ରାମ ଦରବାରେ,
"ସମତା" ଶବ୍ଦର ଆଜି ହେଉ ପୁଣି ଜୟ ।

ଧୋଇ ଦେଉ ବାରି ଧାରା ଶୁଷ୍କ ମରୁବାଲି,
ଶ୍ରାବଣ ବି ଲେଖୁ ଆଜି ମେଘର କାହାଣୀ ।
ଜୀଇଁ ଉଠୁ ଜୀବନ ଏ ସୁନ୍ଦର ସୃଷ୍ଟିର,
କଣ୍ଠେ ଧରି କରୁଣାର ସିକ୍ତ ସଞ୍ଜିବନୀ ।

ଶିଶୁ ଗାଉ ଆନନ୍ଦର ସୁଗମ ସଙ୍ଗୀତ,
ମୈତ୍ରୀର ସ୍ଵର ଶୁଭୁ ବିଶ୍ଵ ଦରବାରୁ ।
ଲିଭିଯାଉ ସୀମାରେଖା ଯେତେ ଭିନ୍ନତାର
ମାଆ ପରି ପୃଥିବୀର ପବିତ୍ର ମାଟିରୁ ।

ଆଗାମୀର ଇତିହାସ ବକ୍ଷେ ହେଉ ଲେଖା,
ସତ୍ୟ, ନ୍ୟାୟ, ସମତାର ଅନନ୍ତ ଜୀବନୀ ।
ବଞ୍ଚିରହୁ ଧରା ପୃଷ୍ଠେ ସଦା ମାନବତା,
ସ୍ଵର ଲଭୁ ଚତୁର୍ଦ୍ଦିଗେ ଶୁଭ ଶଙ୍ଖ ଧ୍ୱନି ।

No comments:

Post a Comment