Sunday 30 July 2017

ଆକାଶ


ସ୍ଵର୍ଗ ବୋଲି ଯଦି କେବେ ଖୋଜିଛ କାହାକୁ,
ଦେଖ ଥରେ ଆକାଶର ବିଶାଳ ବକ୍ଷକୁ ।

ପୁଞ୍ଜା ପୁଞ୍ଜା ମେଘମାଳା ସୁଦୃଶ୍ୟ ନୀଳିମା,
ରହସ୍ୟର ଗନ୍ତାଘର କୁହୁକ କାଳିମା ।

ସୂର୍ଯ୍ୟାଲୋକ ସ୍ଵର୍ଣ୍ଣ ନଦୀ ଲୋହିତ ସୂର୍ଯ୍ୟାସ୍ତ,
ଉଦିତ ଭାସ୍କର ଗାଏ ଜୀବନ ଚରିତ ।

ମେଘମୁକ୍ତ କାୟା ସେ ଯେ ଅତୀବ ସୁନ୍ଦର,
ଅକ୍ଷୟ, ଅନନ୍ତ କରେ ଆତ୍ମାକୁ ବିଭୋର ।

ରାତ୍ରି ଗାଏ ମଧୁଗୀତି ତାରାଙ୍କ ଗହଣେ,
ଚନ୍ଦ୍ରକଳା ଜନ୍ମ-ମୃତ୍ୟୁ ଚକ୍ରକୁ ବଖାଣେ ।

ଶୂନ୍ୟ ଅମା ଅନ୍ଧକାରେ ମିଳଇ ଉତ୍ତର,
ଅପୂର୍ଣ୍ଣ ତତ୍ତ୍ଵରେ ସତେ ପୂର୍ଣ୍ଣର ପ୍ରଚାର ।

ପୂର୍ଣ୍ଣ ଚନ୍ଦ୍ର ସତେ ଅବା ଅଖଣ୍ଡ ଦୀପାଳି,
ସୌନ୍ଦର୍ଯ୍ୟ, ତା ' ରୂପଶୋଭା କେ ପାରିବ କଳି !

ମେଘ ଖଣ୍ଡ ଢାଙ୍କେ ଯେବେ ଚନ୍ଦ୍ରର ସ୍ୱରୂପ ;
କି କହିବି ପ୍ରଣୟ ସେ କେତେ ଅପରୂପ !

ଡେଣା ଝାଡ଼ି ପକ୍ଷୀ ଯେବେ ଦୂରେ ଯାଏ ଉଡ଼ି,
ଈର୍ଷା ହୁଏ ଦେଖି ବାସ ତା 'ର ନଭ ପରି ।

ମାନବୀ ହୋଇ ମୁଁ ଜନ୍ମ ନେଲି ଏ ଧରାରେ,
ଆତ୍ମା ମୋର ଗଗନର ଆଶ୍ଳେଷକୁ ଝୁରେ ।

ଅନାଦି ଅନନ୍ତ ସେ ଯେ ନାହିଁ ତା 'ର ସୀମା,
ନଶ୍ଵର ମୁଁ ହେବି କାହୁଁ ତା 'ର ପ୍ରିୟତମା !

ବିଶାଳ ତା ' ବକ୍ଷେ ଖୋଜେ କ୍ଷୁଦ୍ର ଏକ ଘର,
ଲୀନ କରି ଆତ୍ମା ଯହିଁ ହେବି ମୁଁ ଅମର ।

No comments:

Post a Comment